ୟୁପିଆଇ କାରବାରକୁ ନେଇ ବଡ଼ ଖବର: ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ଉପରେ ଲାଗିବନି କୌଣସି ଶୁଳ୍କ ।
ଭୁବନେଶ୍ୱର: ୟୁପିଆଇ (UPI) ଏବଂ ରୁପେ (RuPay) ଡେବିଟ୍ କାର୍ଡ ଜରିଆରେ ହେଉଥିବା ଆର୍ଥିକ କାରବାରକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ନିୟମ ଜାରି କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ବର୍ତ୍ତମାନ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଯୋଗ୍ୟ ୟୁପିଆଇ ପେମେଣ୍ଟ ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ ସୁବିଧା ଯୋଗାଉଥିବା ସଂସ୍ଥାଗୁଡ଼ିକ କୌଣସି ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଲଗାଇପାରିବେ ନାହିଁ।
ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନୂତନ ବିଜ୍ଞପ୍ତି ଅନୁସାରେ, ଏହି ନିୟମ ଟଙ୍କା ପଠାଉଥିବା ବ୍ୟକ୍ତି, ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତି ଏବଂ ବ୍ୟବସାୟୀ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବ। ଏହି ନିଷ୍ପତ୍ତି ଫଳରେ ଛୋଟ ଛୋଟ କାରବାର କରୁଥିବା ଗ୍ରାହକ ଏବଂ ଖୁଚୁରା ବ୍ୟବସାୟୀମାନେ ବିଶେଷ ଭାବେ ଉପକୃତ ହେବେ। ତେବେ ସରକାରଙ୍କର ଏହି ବିଜ୍ଞପ୍ତିକୁ ନେଇ ବର୍ତ୍ତମାନ ବଜାରରେ ଏବଂ ସମ୍ପୃକ୍ତ ମହଲରେ ଏକ ପ୍ରକାର ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।