ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦଳ ଏବଂ ସରକାରଙ୍କ ପକ୍ଷରୁ ଚାଲିଥିବା ‘ସେବା ସଂକଳ୍ପ ଅଭିଯାନ’ର ବିସ୍ତୃତ ସମୀକ୍ଷା କରିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ଓ ସେବାଗୁଡ଼ିକର ପ୍ରଗତି ଏବଂ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ରଣନୀତି ଉପରେ ଏହି ବୈଠକରେ ବିଶେଷ ଆଲୋଚନା କରାଯାଇଛି।
ମୁଖ୍ୟମନ୍ତ୍ରୀ ଏହି ଅଭିଯାନକୁ ସଫଳ କରିବା ପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଜନପ୍ରତିନିଧିମାନଙ୍କୁ ଲୋକଙ୍କ ସହ ସିଧାସଳଖ ଯୋଡ଼ିହେବାକୁ ଆହ୍ୱାନ ଦେଇଛନ୍ତି। ସରକାରଙ୍କ ସେବା ମନୋଭାବ ଏବଂ ଜନକଲ୍ୟାଣକାରୀ ନୀତିକୁ ପ୍ରତିଟି ଗରିବ, ଖଟିଖିଆ ଏବଂ ଅସହାୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ହିଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ଏହି ସମୀକ୍ଷା ବୈଠକରେ ଦଳର ବହୁ ବରିଷ୍ଠ ନେତୃବୃନ୍ଦ, ମନ୍ତ୍ରୀ ଏବଂ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳରେ ଚାଲିଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆଗାମୀ ଦିନରେ ଏହି ସେବା ସଂକଳ୍ପ ଅଭିଯାନକୁ ଆହୁରି ବ୍ୟାପକ ଏବଂ ତ୍ୱରାନ୍ୱିତ କରିବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।
