ଆସିକାରେ ଆନନ୍ଦ ଉଲ୍ଲାସ ସହ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଳିତ
ଆସିକା: ବିଘ୍ନନାଶକ ବିଘ୍ନ ବିନାଶନ ଗଜାନନଙ୍କ ଆଗମନରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଡିଜିଟାଲ୍ ଭଜନ ଆଲୋକମାଳାରେ ପୂଜାମଣ୍ଡପ ଗୁଡ଼ିକ ଝଲସି ଉଠୁଥିବା ବେଳେ ପ୍ରଭୁ ଶ୍ରୀ ଗଜାନନଙ୍କ ପାରମ୍ପରିକ ରୀତିନୀତି ତଥା ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଆସିକା ସହରର ବିଭିନ୍ନ ସାହିକୁଦିକୁ ପୂଜାମଣ୍ଡପ ଗୁଡ଼ିକ ସୁସଜ୍ଜିତ ହୋଇଥିବାରୁ ଏହା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆକର୍ଷିତ କରୁଥିବା ଲକ୍ଷ୍ୟ କରାଯାଇଛି।
ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଉପଲକ୍ଷେ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଘ୍ନେଶ୍ଵରଙ୍କ ପୂଜା କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀ ମାନେ ନୂଆଁ ପୋଷାକ ପରିଧାନ କରି ନିଜ ନିଜ ଶିକ୍ଷାନୁଷ୍ଠାନରେ ଧୂପ, ଦୀପ ଓ ପୂଜାଫଳ ଧରି ଗଣେଶଙ୍କ ପୂଜାର୍ଚ୍ଚନାରେ ମଗ୍ନ ଯାଇଥିଲେ।
ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ମଣ୍ଡପ ଗୁଡ଼ିକରେ ବିଘ୍ନଦାତା ବିଘ୍ନ ବିନାଶକ ଶ୍ରୀ ଗଣେଶ ବିଭିନ୍ନ ରୂପରେ ପୂଜା ପାଉଛନ୍ତି। ପାଗ ଅନୁକୂଳ ଥିବାରୁ ପୂଜାମଣ୍ଡପ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ବିଭିନ୍ନ ସାହିବସ୍ତିର ଯୁବକସଂଘମାନେ ନିଜ ନିଜ ପୂଜାମଣ୍ଡପ ଗୁଡ଼ିକୁ କିଭଳି ଅଧିକରୁ ଅଧିକ ଆକର୍ଷଣୀୟ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ତିନିଚାରି ବର୍ଷାଧିକାରି ଧରି ଲାଗିପଡ଼ିଥିବା ଦେଖିବାକୁ ମିଳିଥିଲା।
ଆସିକା ସହରର ଅତି ପୁରାତନ ବିନାୟକ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ପାଳିତ ହୋଇଆସୁଥିବା ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ୨୨ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ସୋମବାର ପୂର୍ବାହ୍ନରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୬ ନମ୍ବର ୱାର୍ଡର ଲାଠୀସାହି ଗ୍ରାମର ବିଦ୍ଵାନ ପଣ୍ଡିତ ସାଗରାମ ଦାଶ ଓ ସହଯୋଗୀ ପଣ୍ଡିତ ବିଶ୍ଵେଶ୍ଵର ଆଚାର୍ଯ୍ୟଙ୍କ ମନ୍ତ୍ରୋଚାରଣରେ ଗୋପାଳଜୀ ମନ୍ଦିର ନିକଟସ୍ଥ ପବିତ୍ର ଋଷିକୂଲ୍ୟା ନଦୀରେ ପୂଜାକାର୍ଯ୍ୟ ସାଙ୍ଗକୁ ଘଟଉତ୍ତୋଳନ ହୋଇ ଶୋଭାଯାତ୍ରାରେ ଆସି ଅସ୍ଥାୟୀ ମଣ୍ଡପ ନିକଟରେ ପହଞ୍ଚିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। । ଆସିକା ସହରରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଅଗ୍ରପୂଜ୍ୟ ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି।